×
Login

ଆସନ୍ତା କାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର!.

0 Comments । By Black Cat News । 13 July, 2024

ଆସନ୍ତା କାଲି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର!

ପୁରୀ : ( ଦେବାଶିଷ ଦାଶ୍ ) ଆସନ୍ତାକାଲି ଅର୍ଥାତ ରବିବାର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ SOP ପ୍ରଦାନ କରାଯାଇଛି। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ରତ୍ନଭଣ୍ଡାର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିବା ପରେ ଏସ୍‌ଓପି ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି। ପ୍ରତିଟି ଦିଗକୁ ଅତି ଗୁରୁତ୍ବର ସହ, ସତର୍କତାର ସହ ତର୍ଜମା କରାଯାଇଛି ଏସ୍‌ଓପି ପ୍ରସ୍ତୁତ କରାଯାଇଛି।


ଅତ୍ୟନ୍ତ ନିଖୁଣ ଭାବେ ରତ୍ନଭଣ୍ଡାର ଗଣତି ମଣତି କରାଯିବ। ହାଇପାୱାର କମିଟି ସଦସ୍ୟ ମଧ୍ୟ ଏହାର ତର୍ଜମା କରିଛନ୍ତି। ସରକାରଙ୍କୁ ଗତ ୯ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ କମିଟି ବୈଠକରେ ୧୪ ତାରିଖରେ ଖୋଲିବାକୁ ଅନୁମତି ମଗାଯାଇଥିଲା। ଯାହା ପରେ ସରକାର ଏସ୍‌ଓପି ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି। କାଲିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ଏହା କ୍ରମାଗତ ଭାବେ ଚାଲିବ। କେତେବେଳେ ଖୋଲିବ, ସେ ନିଷ୍ପତ୍ତି ନେବାକୁ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ଦିଆଯାଇଛି। ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

କେବଳ ସେତିକି ନୁହେଁ ଅତ୍ୟନ୍ତ ସ୍ୱଚ୍ଛତାର ସହକାରେ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି କରାଯିବ । ଗଣତି ମଣତି ପାଇଁ ରିଜର୍ଭ ବ୍ୟାଙ୍କର ମଧ୍ୟ ସହାୟତା ନିଆଯାଉଛି । ତେଣୁ ରତ୍ନଭଣ୍ଡାର ଖୋଲିବା ସମୟରେ ରିଜର୍ଭ ବ୍ୟାଙ୍କର ପ୍ରତିନିଧି ଉପସ୍ଥିତ ରହିବେ । ପ୍ରତିଟି ଅଳଙ୍କାରର ମୂଲ୍ୟ ସହ ଡିଜିଟାଲ ଡକ୍ୟୁମେଣ୍ଟ ପ୍ରସ୍ତୁତ ହେବ । ଯାହା ଫଳରେ କି ଭବିଷ୍ୟତରେ ରତ୍ନଭଣ୍ଡାରର ଗଣତି ମଣତି ସହଜ ହେବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିସହ ରତ୍ନଭଣ୍ଡାର ଖୋଲିବା ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ବି ଅସୁବିଧା ହେବ ନାହିଁ । ତା ସହିତ ମହାପ୍ରଭୁଙ୍କର ନୀତିକାନ୍ତିରେ ମଧ୍ୟ କୌଣସି ଅସୁବିଧା ହେବନି। ଭକ୍ତମାନେ ପୂର୍ବଭଳି ମହାପ୍ରଭୁଙ୍କ ଦର୍ଶନ କରିବେ। ପୂର୍ବରୁ ୪୬ ବର୍ଷ ପୂର୍ବେ ଯେବେ ଖୋଲିଥିଲା ସେହି ସମୟରେ ୭୨ ଦିନ ଲାଗିଥିଲା। ଏବେ ଯେହେତୁ ଟେକ୍ନୋଲୋଜି ବହୁ ଆଗକୁ ଯାଇଛି ଗଣତି ଶୀଘ୍ର ସରିପାରେ ବୋଲି ମନ୍ତ୍ରୀ କହିଛନ୍ତି

Ramesha Chandra Sahoo's Report
BlackCatNews, Puri



#


×